ଭାରତ ସରକାର ଦେଶର ୨,୫୦,୦୦୦ ଗ୍ରାମ ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ  ଜାତୀୟ ଅପ୍ଟିକାଲ୍ ଫାଇବର୍ ନେଟୱାର୍କ (NOFN) ପ୍ରତିଷ୍ଠା କରିବା ଲାଗି ଅକ୍ଟୋବର୍ ୨୫, ୨୦୧୧ରେ ଅନୁମତି ପ୍ରଦାନ କରିଛନ୍ତି । ତାହାକୁ ପରବର୍ତ୍ତୀ ସମୟରେ ଭାରତନେଟ୍ ଭାବେ ନାମିତ କରାଯାଇଛି । ଭାରତନେଟ୍ ଦ୍ୱାରା ଯଥେଷ୍ଟ ପରିମାଣରେ ବ୍ୟାଣ୍ଡ୍‌ୱିଡ୍‌ଥ ସୁବିଧା ସହିତ ବ୍ରଡ଼୍‌ବ୍ୟାଣ୍ଡ ସଂଯୋଗ ସୁନିଶ୍ଚିତ ହୋଇପାରିବ । ଗ୍ରାମ ପଞ୍ଚାୟତମାନଙ୍କୁ ଅପ୍ଟିକାଲ୍ ଫାଇବର୍ ନେଟ୍‌ୱାର୍କ୍ ବ୍ୟବସ୍ଥା ସଂପ୍ରସାରିତ କରି ଏହାକୁ ହାସଲ କରାଯିବ । ଓଡ଼ିଶାରେ ମୋଟ ୬୮୦୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ସେମାନଙ୍କ ମଧ୍ୟରୁ ୧୮ ଗୋଟି ଜିଲ୍ଲାର ୧୮୧ ଗୋଟି ପଞ୍ଚାୟତ ସମିତି ମଧ୍ୟରେ ରହିଥିବା ୩୮୬୦ ଗୋଟି ଗ୍ରାମ ପଞ୍ଚାୟତକୁ ଭାରତନେଟ୍ ପ୍ରଥମ ପର୍ଯ୍ୟାୟର ଏକ ଅଂଶ ସ୍ୱରୂପ ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସ୍ଏନ୍ଏଲ୍) ଦ୍ୱାରା ଭୂତଳ ଅପ୍ଟିକାଲ୍ ଫାଇବର୍ କେବୁଲ୍ ବ୍ୟବହାର କରି ଏବଂ ଜିପିଓଏନ୍ (GPON) ବୈଷୟିକ ବିଦ୍ୟାର ଉପଯୋଗ କରି ସାମିଲ କରାଯିବ ।

ଓଡ଼ିଶା ସରକାର ରାଜ୍ୟର ୧୨ଟି ଜିଲ୍ଲାର ୧୩୩ ଗୋଟି ପଞ୍ଚାୟତ ସମିତିରେ ରହିଥିବା ୨୯୪୫ ଗୋଟି ଗ୍ରାମ ପଞ୍ଚାୟତରେ ଭାରତନେଟ୍‌ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସଂପନ୍ନ କରିବ । ସେହି କାର୍ଯ୍ୟ ତୁଲାଇବା ପାଇଁ ରାଜ୍ୟ କାର୍ଯ୍ୟ ନିର୍ବାହୀ ସଂସ୍ଥା ଭାବେ ଓପିଟିସିଏଲ୍‌କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ନିମନ୍ତେ ଏରିଏଲ୍ ଅପ୍ଟିକାଲ୍ ଫାଇବର୍ ଏବଂ ଜିପିଓଏନ୍ (GPON) ବୈଷୟିକ ବିଦ୍ୟାର ଉପଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ରାଜ୍ୟ ନେଟୱାର୍କ ପରିଚାଳନା କେନ୍ଦ୍ର (ଏନ୍ଓସି) ଓକାକ୍‌ ଠାରେ ପ୍ରତିଷ୍ଠା କରାଯିବ । ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଏହି ପ୍ରକଳ୍ପ ପାଇଁ ନୋଡାଲ୍ ବିଭାଗ ଭାବେ କାର୍ଯ୍ୟ କରିବ ।

ସୂଚନା ଓ ଜ୍ଞାନ ହାସଲ କରିବା ଦିଗରେ ସୁଲଭ ଓ ନ୍ୟାୟସଂଗତ ଉପଲଭ୍ୟତା ଯୋଗାଇଦେଇ ଗ୍ରାମ ସ୍ତରରେ ବାସ କରୁଥିବା ଲୋକମାନଙ୍କ ଜୀବନ ଧାରଣ ମାନକୁ ଉନ୍ନତ କରିବା ପାଇଁ ବ୍ରଡ୍‌ବ୍ୟାଣ୍ଡ ହେଉଛି ଗୋଟିଏ ଉପଯୁକ୍ତ ମାଧ୍ୟମ । ବ୍ୟକ୍ତିଗତ ସ୍ତରରେ ବ୍ରଡ୍‌ବ୍ୟାଣ୍ଡ ଲୋକମାନଙ୍କ ଦୈନନ୍ଦିନ ଜୀବନ ଶୈଳୀକୁ ସିଧାସଳଖ ପ୍ରଭାବିତ କରିଥାଏ । ଫଳରେ ଏହା ବ୍ୟବସାୟ ବାଣିଜ୍ୟ ଓ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ସହାୟକ ହୋଇପାରିବ । ‘ଇ’ ବ୍ୟବସାୟ, ‘ଇ’ ବ୍ୟାଙ୍କିଙ୍ଗ୍, ‘ଇ’ ଶାସନ ବ୍ୟବସ୍ଥା, ‘ଇ’ ଶିକ୍ଷା ଏବଂ ଟେଲି-ଔଷଧ ଆଦି ଭଳି ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇସିଟି)ର ପ୍ରୟୋଗ ନିମନ୍ତେ ଅତି କ୍ଷୀପ୍ରଗାମୀ ଇଣ୍ଟରନେଟ୍‌ ସଂଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି । ଭାରତନେଟ୍‌ର  ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ଓଡ଼ିଶା ରାଜ୍ୟରେ ଏହି କାର୍ଯ୍ୟକୁ ସୁଗମ କରିବ ।