ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ, ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସର୍ବସାଧାରଣ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଅବସ୍ଥିତ ସ୍ୱସ୍ତି ପ୍ଲାଜା ହୋଟେଲ୍ ମଧ୍ୟରେ ୨୦୦୫ ବର୍ଷର ଫେବୃଆରୀ ୦୩ରୁ ୦୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ‘ଇ’-ଶାସନ ବ୍ୟବସ୍ଥା ସଂପର୍କରେ ଅଷ୍ଟମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ‘ଇ’-ଶାସନ ବ୍ୟବସ୍ଥା କ୍ଷେତ୍ରରେ ଥିବା ସମସ୍ତ ସତ୍ତ୍ୱାଧୀକାରୀମାନଙ୍କ ମଧ୍ୟରେ ଆଲୋଚନା ପାଇଁ ଗୋଟିଏ ପୀଠ ଯୋଗାଇଦେବା ଦ୍ୱାରା ଆଂଚଳିକ ଓ ଜାତୀୟ ‘ଇ’-ଶାସନ ବ୍ୟବସ୍ଥା ରଣନୀତିର ବିକାଶ କରାଇବା ଥିଲା ସମ୍ମିଳନୀର ପ୍ରଧାନ ଉଦ୍ଦେଶ୍ୟ। ସେହି ବର୍ଷର ଏହି ସମ୍ମିଳନୀ ପାଇଁ ବିଷୟବସ୍ତୁ ରଖା ଯାଇଥିଲା – ‘ଇ’-ଶାସନ ବ୍ୟବସ୍ଥା ନିମନ୍ତେ ଦକ୍ଷତା ଗଠନ ।

ନିକଟ ଅତୀତରେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକର ସହଯୋଗ ଓ ସହାୟତାରେ ଭାରତ ସରକାରଙ୍କ ଦ୍ୱାରା ସେହିପରି ଆହୁରି ସାତ ଗୋଟି ସମ୍ମିଳନୀର ଆୟୋଜନ କରାଯାଇ ସାରିଛି । ସେହିସବୁ ସମ୍ମିଳନୀମାନଙ୍କରେ ହୋଇଥିବା ବିଭିନ୍ନ ବିଚାର ବିମର୍ଷ ତଥା ପ୍ରସ୍ତାବ ଆଦିର ଫଳ ସ୍ୱରୂପ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ଅନେକ ସଂଖ୍ୟକ ‘ଇ’-ଶାସନ ବ୍ୟବସ୍ଥା ଉଦ୍ୟମ ଅନୁସରଣ କରାଯାଇଛି ।

ଇତି ମଧ୍ୟରେ ଉକ୍ତ ସମ୍ମିଳନୀ ବେଶ୍ ଖ୍ୟାତି ଅର୍ଜନ କରିବା ସଙ୍ଗେ ସଙ୍ଗେ ‘ଇ’-ଶାସନ ବ୍ୟବସ୍ଥା ସକାଶେ ପ୍ରମୁଖ ଜାତୀୟ ସମାରୋହ ଭାବେ ପରିଗଣିତ ହେବାର ମର୍ଯ୍ୟାଦା ହାସଲ କରିବାକୁ ସକ୍ଷମ ହୋଇପାରିଛି । ଓଡ଼ିଶା ୨୦୦୫ ବର୍ଷ ଉକ୍ତ ମର୍ଯ୍ୟାଦାଜନକ ସମାରୋହ ଆୟୋଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲା । ସେହି ବର୍ଷର ସମାରୋହ ଫେବୃଆରୀ ୦୩ ତାରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଏବଂ ଓଡ଼ିଶାର ସୂଚନା ପ୍ରଯୁକ୍ତି, ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ମହୋଦୟଙ୍କ ସମ୍ମାନଜନକ ଉପସ୍ଥିତିରେ ମାନ୍ୟବର କେନ୍ଦ୍ର ଯୋଗାଯୋଗ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଦୟାନିଧି ମାରାନ୍ ମହୋଦୟଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।

ଫେବୃଆରୀ ୦୫, ୨୦୦୫ ତାରିଖ ଦିନ ମାନ୍ୟବର କେନ୍ଦ୍ର ପର୍ସନେଲ୍ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପଚୌରୀ ମହୋଦୟ ଏବଂ ଯୋଜନା ଆୟୋଗର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମଂଟେକ୍ ସିଂ ଆହଲୁୱାଲିଆ ମହୋଦୟଙ୍କ ସଦୟ ଉପସ୍ଥିତିରେ ସମାରୋହର ଉଦ୍ୟାପନୀ ଉତ୍ସବ ପାଳିତ ହୋଇଥିଲା । ସମାରୋହରେ ସରକାର, ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରୁ ଅନେକ ସଂଖ୍ୟକ ଖ୍ୟାତିସଂପନ୍ନ ବ୍ୟକ୍ତି ବିଶେଷ ସମାରୋହରେ ଅଂଶଗ୍ରହଣ କରିଥିଲେ । ସେହି କେତେଜଣଙ୍କ ମଧ୍ୟରେ ଥିଲେ ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ଶ୍ରୀଯୁକ୍ତ ବ୍ରିଜେଶ୍ କୁମାର, ଭାରତ ସରକାରଙ୍କ ପର୍ସନେଲ୍ ବିଭାଗ ସଚିବ ଶ୍ରୀଯୁକ୍ତ ଏ. ଏନ୍. ତିୱାରୀ, ଟାଟା ପରାମର୍ଶ ସେବା ସମୂହ (TCS) ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରମୁଖ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏସ୍. ଋାମଦୁରାଇ, ଓରାକଲ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶେଖର ଦାସଗୁପ୍ତା, ଏନ୍ଆଇଆଇଟି (NIIT) ଲିମିଟେଡ଼୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆର୍. ଏସ୍. ପାୱାର, ସୂଚନା ପ୍ରଯୁକ୍ତି ତଥା ‘ଇ’-ଶାସନ ବ୍ୟବସ୍ଥା ସଚିବ ବୃନ୍ଦ, ସମସ୍ତ ରାଜ୍ୟ ସରକାରମାନଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ସମୂହ, ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ତଥା ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀ ବୃନ୍ଦ, ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବିଭିନ୍ନ ସର୍ବସାଧାରଣ ସେବା ସଂସ୍ଥା (PSU)ର ଅଧିକାରୀ ବୃନ୍ଦ, ବିଭିନ୍ନ ବ୍ୟାଙ୍କ୍ ଅଧିକାରୀ, ଆଇଆଇଏମ୍, ଆଇଆଇଟି, ଆଇଆଇପିଏ ଭଳି ଖ୍ୟାତନାମା ପ୍ରତିଷ୍ଠାନ ତଥା ଅନ୍ୟ ଜଣାଶୁଣା ବିଶ୍ୱବିଦ୍ୟାଳୟମାନଙ୍କରୁ ଆସିଥିବା ବିଶିଷ୍ଟ ଶିକ୍ଷାବିତ୍ ବୃନ୍ଦ । ‘ଇ’-ଶାସନ ବ୍ୟବସ୍ଥା ସହିତ ଜଡ଼ିତ ଥିବା ସୂଚନା ପ୍ରଯୁକ୍ତି କମ୍ପାନୀମାନେ ମଧ୍ୟ ଉକ୍ତ ସମାରୋହରେ ଯୋଗ ଦେଇଥିଲେ ।

ବର୍ତ୍ତମାନ ସୂଚନାର ଅଧିକାର ନାଗରିକମାନଙ୍କର ଗୋଟିଏ ମୌଳିକ ଅଧିକାର ରୂପେ ସ୍ୱୀକୃତ ହୋଇସାରିଛି । ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ହେଉଛି ଆଜିର ଆହ୍ୱାନ, ଏକ ଜରୁରୀ ଆବଶ୍ୟକତା । ସୂଚନା ପ୍ରଯୁକ୍ତି ବିଦ୍ୟା ଯେଉଁ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ତାହାର ବିକାଶ ଯେପରି ପୂରାପୂରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସରକାରଙ୍କ ନୀତି ଓ କାର୍ଯ୍ୟାବଳୀ ସମ୍ବନ୍ଧୀୟ ସୂଚନା ସଙ୍ଗେ ସଙ୍ଗେ ପହଂଚାଇ ଦିଆଯାଇପାରିବ ସେଥିଲାଗି ଉପଯୁକ୍ତ ଭିତ୍ତିଭୂମି ଯୋଗାଇଦେଇଛି । ବିଭିନ୍ନ ରାଜ୍ୟ ସରକାର ସେମାନଙ୍କର ନିଜ ନିଜର ୱେବ୍ ପୋର୍ଟାଲ୍ ତିଆରି କରିଛନ୍ତି । ତାହାରି ମାଧ୍ୟମରେ ସର୍ବସାଧାରଣ ନାଗରିକମାନେ ବିଭିନ୍ନ ସରକାରୀ ସେବା ସୁବିଧା ତଥା ଯୋଜନା ସମୂହ ସଂପର୍କରେ ସୁବିଧାରେ ସୂଚନା ହାସଲ କରିବା ପାଇଁ ସକ୍ଷମ ହୋଇପାରୁଛନ୍ତି । ତା’ ସହିତ ସେମାନେ ତଦ୍ୱାରା ଦେୟ ଦ୍ୱାର (payment gateway) ଦେଇ ସେହିସବୁ ସେବା ସୁବିଧା ସବୁକୁ ମଧ୍ୟ ଲାଭ କରିପାରୁଛନ୍ତି । ସରକାରଙ୍କ ୱେବ୍ ପୋର୍ଟାଲ୍ ସହାୟତାରେ ବର୍ତ୍ତମାନ ଜମିଜମା ସଂପର୍କିତ ଦଲିଲପତ୍ର, ପଞ୍ଜୀକରଣ, ଡ୍ରାଇଭିଙ୍ଗ୍ ଲାଇସେନ୍ସର ଯୋଗାଣ ଓ ନବୀକରଣ ଆଦି ନାଗରିକ କୈନ୍ଦ୍ରୀକ ସେବା ସୁବିଧା ସମୂହ ଉପଲବ୍ଧ ହେଉଛି । ବାଣିଜ୍ୟକର ବିଭାଗ ମଧ୍ୟ ସଫଳତା ସହକାରେ ତନଖି ଫାଟକ ନିକଟରେ ପ୍ରବେଶ ଶୁଳ୍କ ସଂଗ୍ରହ ସମ୍ବନ୍ଧୀୟ କାରବାରଗୁଡ଼ିକୁ ସେହିପରି ଭାବେ ସୁଗମ ଓ ସୁସଂଗଠିତ କରିପାରିଛନ୍ତି । ଓଡ଼ିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସାଧାରଣ ଲୋକଙ୍କ ଦ୍ୱାର ପାଖରେ ନେଇ ସୂଚନା ପହଂଚାଇବା ସଙ୍ଗେସଙ୍ଗେ କ୍ରମଶଃ ସମାଜରେ ରହିଥିବା ଡିଜିଟାଲ୍ ଦୂରତା (Digital divide) ଦୂର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାଦ୍ୱାରା ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମଧ୍ୟ ହେଉଛି ଆଜି ସରକାରଙ୍କର ଆଉ ଏକ ବୈଧାନିକ କର୍ତ୍ତବ୍ୟ ।

ତେବେ ଆଜି ପର୍ଯ୍ୟନ୍ତ ଯାହାକିଛି ହାସଲ କରାଯାଇଛି ସେସବୁ କେବଳ ଆରମ୍ଭ ମାତ୍ର । ଆଗାମୀ ବର୍ଷଗୁଡ଼ିକରେ ‘ଇ’-ଶାସନ ବ୍ୟବସ୍ଥା ପ୍ରକଳ୍ପ ସମୂହର ଯୋଜନା ଓ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ସରକାରୀ ପ୍ରକ୍ରିୟା ଏବଂ ଦକ୍ଷତା ବିକାଶ ଆଦି କାର୍ଯ୍ୟକଳାପଗୁଡ଼ିକର ପୁନର୍ଗଠନ କରିବାର ଆବଶ୍ୟକତା ପଡ଼ିବ । ଉକ୍ତ ଜାତୀୟ ସମ୍ମିଳନୀ ସେଥିରେ ଅଂଶଗ୍ରହଣକାରୀ ପ୍ରତିନିଧିମାନଙ୍କୁ ‘ଇ’-ଶାସନ ବ୍ୟବସ୍ଥା କ୍ଷେତ୍ରରେ ଯେଉଁସବୁ ରାଜ୍ୟ ଓ ଅନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିସାରିଛନ୍ତି ସେମାନଙ୍କଠାରୁ ମିଳୁଥିବା ନାନାବିଧ ସଫଳ କାହାଣୀକୁ ଗ୍ରହଣ କରିବା, ସେମାନଙ୍କ ଅନୁଭବ ଓ ଅନୁଭୂତିରୁ ଶିକ୍ଷାଲାଭ କରିବା ଏବଂ ସେହି ଅନୁସାରେ ନିଜ ନିଜର ରାଜ୍ୟ ତଥା ଅନୁଷ୍ଠାନ ନିମନ୍ତେ ଏକ ବାସ୍ତବ କର୍ମ ଯୋଜନା ପ୍ରସ୍ତୁତ କରିବା ଦିଗରେ ସକ୍ଷମ କରାଇଥିଲା । ସମ୍ମିଳନୀ ସମୟରେ ଯେତେ ଯାହା ବିଚାର ବିମର୍ଷ ହୋଇଥିଲା ସେସବୁ ଏହିଭଳି ଭାବେ ଏକ ନାଗରିକ କୈନ୍ଦ୍ରୀକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଦିଗରେ ପଥ ଉନ୍ମୋଚନ କରିବ ।

ବିଗତ କେତେ ବର୍ଷ ମଧ୍ୟରେ ଓଡ଼ିଶାରେ ‘ଇ’-ଶାସନ ବ୍ୟବସ୍ଥା କ୍ଷେତ୍ରରେ ଯେଉଁସବୁ ଅଗ୍ରଗତି ହାସଲ କରାଯାଇଛି ସେସବୁକୁ ପ୍ରଦର୍ଶନ କରିବା ପାଇଁ ଉକ୍ତ ସମ୍ମିଳନୀ ଓଡ଼ିଶାକୁ ଗୋଟିଏ ଅତି ଉତ୍ତମ ସୁଯୋଗ ଯୋଗାଇ ଦେଇଥିଲା । ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ଏବଂ ‘ଇ’-ଶାସନ ବ୍ୟବସ୍ଥା କ୍ଷେତ୍ରରେ ଓଡ଼ିଶା ଅନେକ ପ୍ରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ତା ସହିତ ସାଧାରଣ ନାଗରିକମାନଙ୍କ ସୁବିଧା ସକାଶେ ‘ଇ’-ଶାସନ ବ୍ୟବସ୍ଥା କାର୍ଯ୍ୟକ୍ରମକୁ ସଂପ୍ରସାରିତ କରିବା ଦିଗରେ ରାଜ୍ୟ ଆନ୍ତରିକ ଉଦ୍ୟମ ଜାରି ରଖିଛି। ସେଥିରେ ଭାରତ ସରକାରଙ୍କ ମହାକାଶ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମସାଟ୍‌ (GRAMSAT) ପ୍ରକଳ୍ପ ହେଉଛି ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ ଏକ ଭିସାଟ୍ (VSAT) ନେଟୱାର୍କ ସହିତ ରାଜ୍ୟର ସମସ୍ତ ୩୧୪ ଗୋଟି ପଞ୍ଚାୟତ ସମିତିକୁ ସଂଯୁକ୍ତ କରୁଥିବା ଦେଶର ଗୋଟିଏ ଅତି ସ୍ୱତନ୍ତ୍ର ପ୍ରକଳ୍ପ ।

ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶାର ସାମର୍ଥ୍ୟ ପ୍ରତି ଭବିଷ୍ୟତର ସମ୍ଭାବ୍ୟ ନିବେଶକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଉକ୍ତ ସମ୍ମିଳନୀ ରାଜ୍ୟ ପାଇଁ ଗୋଟିଏ ସୁଯୋଗ ଯୋଗାଇ ଦେଇଥିଲା । ଜିଲ୍ଲା ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ସ୍ତରରେ ପ୍ରଶାସନିକ ଦାୟିତ୍ୱରେ ରହି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କ ନିମନ୍ତେ ଉକ୍ତ ସମ୍ମିଳନୀ ଦେଶ ମଧ୍ୟସ୍ଥ ଲୋକପ୍ରିୟ ଓ ସଫଳ ‘ଇ’-ଶାସନ ବ୍ୟବସ୍ଥା ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବା ଦିଗରେ ରହିଥିବା ଏକ ବହୁ ପ୍ରତୀକ୍ଷିତ ଆବଶ୍ୟକତାର ପୂରଣ କରିଥିଲା ।