ଦକ୍ଷତା ଗଠନ ଓ ତାଲିମ




କାର୍ଯ୍ୟକ୍ରମ ସଂପର୍କରେ

ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫେକ୍‌ଚରିଙ୍ଗ୍  (ESDM) କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ

ପୃଷ୍ଠଭୂମି:

ଇଲେକ୍‌ଟ୍ରୋନିକ୍ସ ୨୦୧୨ ସଂପର୍କିତ ଜାତୀୟ ନୀତି: ଭାରତ ସରକାର ଭାରତକୁ ଗୋଟିଏ ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫେକ୍‌ଚରିଙ୍ଗ୍ (ESDM) କେନ୍ଦ୍ରରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଥିବା ଇଲେକ୍‌ଟ୍ରୋନିକ୍ସ ୨୦୧୨ ସଂପର୍କିତ ଜାତୀୟ ନୀତିର ଅନୁମୋଦନ କରିଛନ୍ତି । ୨୦୨୦ ମସିହା ସୁଦ୍ଧା ଆମେରିକୀୟ ଡଲାର ୪୦୦ ବିଲିଅନ୍ ମୂଲ୍ୟର ରାଜସ୍ୱ ଆୟ ହାସଲ କରିବା ଏବଂ ସେହି ୨୦୨୦ ମସିହା ସୁଦ୍ଧା ବିଭିନ୍ନ ସ୍ତରରେ ପ୍ରାୟ ୨୮ ନିୟୁତ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦେଶ ମଧ୍ୟରେ ଏକ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାମୂଳକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫେକ୍‌ଚରିଙ୍ଗ୍ (ESDM) କ୍ଷେତ୍ର ନିମନ୍ତେ ଗୋଟିଏ ଅନୁକୂଳ ପରିମଳ ସୃଷ୍ଟି କରିବା ହେଉଛି ଉକ୍ତ ନୀତିର ଉଦ୍ଦେଶ୍ୟ । ତା ସହିତ ୨୦୦ରୁ ଅଧିକ ସଂଖ୍ୟକ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନ ସମୂହ ସ୍ଥାପନ କରିବା ପାଇଁ ମଧ୍ୟ ଉକ୍ତ ନୀତି ପ୍ରସ୍ତାବ ରଖିଛି । ଇଲେକ୍‌ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଭାବେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାର ଆକଳନ କରାଯାଏ ।

‘ମାନୁଫେକ୍‌ଚରିଙ୍ଗ୍’ ଏବଂ ‘ସେବା ସହାୟତା’ କାର୍ଯ୍ୟକ୍ଷେତ୍ରରେ କାମ କରିବା ସକାଶେ ନବମ ଓ ଦଶମ ଶ୍ରେଣୀଠାରୁ ଆରମ୍ଭ କରି ଆଗକୁ ପଢ଼ିଥିବା, ଆଇଟିଆଇ, ଡିପ୍ଲୋମା, ଅଣ-ଇଞ୍ଜିନିଅରିଂ ସ୍ନାତକ ଆଦି ଛାତ୍ରଛାତ୍ରୀ ଓ ବେକାର ଯୁବକଯୁବତୀ ସମୂହଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫେକ୍‌ଚରିଙ୍ଗ୍ (ESDM) କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସୁଗମ କରିବାପାଇଁ ନଭେମ୍ବର ୨୦୧୩ରେ ଡେଇଟି (DeitY) ଦ୍ୱାରା ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫେକ୍‌ଚରିଙ୍ଗ୍ (ESDM) କ୍ଷେତ୍ରରେ ଦକ୍ଷତା ବିକାଶ ନିମନ୍ତେ କେତେକ ନିର୍ବାଚିତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳକୁ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଏକ କାର୍ଯ୍ୟକ୍ରମ ଅନୁମୋଦନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ବଛା ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କରେ ଏନ୍ଆଇଇଏଲ୍ଆଇଟି (NIELIT), ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ର ଦକ୍ଷତା ପରିଷଦ ବା ଟେଲିକମ୍ ବିଭାଗ ଦକ୍ଷତା ପରିଷଦ ଦ୍ୱାରା ସ୍ୱୀକୃତ ହୋଇଥିବା ପାଞ୍ଚସ୍ତରୀୟ ବୃତ୍ତିଗତ ଦକ୍ଷତା ବିକାଶ ପାଠ୍ୟକ୍ରମରେ ମୋଟ ୯୦,୦୦୦ ସଂଖ୍ୟକ ବ୍ୟକ୍ତି ଉପକୃତ ହେବେ । ଆର୍ଥିକ ଅନୁଦାନ ପ୍ରାୟ ୧୦୦ କୋଟି ଟଙ୍କା ସମେତ ଯୋଜନାରେ ମୋଟ ବ୍ୟୟ ହେବ ୧୧୩.୭୭ କୋଟି ଟଙ୍କା । ପ୍ରାପ୍ତ ହୋଇଥିବା ପ୍ରସ୍ତାବଗୁଡ଼ିକୁ ଆଧାର କରି ଗୋଟିଏ କ୍ଷମତାପ୍ରାପ୍ତ କମିଟି ଆନ୍ଧ୍ର ପ୍ରଦେଶ (ତେଲେଙ୍ଗାନାକୁ ମିଶାଇ ପ୍ରତ୍ୟେକ ରାଜ୍ୟକୁ ୭୫୦୦ କରି ଧାର୍ଯ୍ୟ ଲକ୍ଷ୍ୟ ସମାନ ଭାଗରେ ବିଭକ୍ତ), ଜାମ୍ମୁ ଓ କାଶ୍ମୀର (ସମସ୍ତ ପାଞ୍ଚ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟ ୧୫,୦୦୦), କର୍ଣ୍ଣାଟକ (ସମସ୍ତ ପାଞ୍ଚ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟ ୧୫,୦୦୦), କେରଳ (କେବଳ ପାଠ୍ୟକ୍ରମ ସ୍ତର ୩, ୪ ଓ ୫ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ୧୧,୨୫୦), ପଞ୍ଜାବ (ସମସ୍ତ ପାଞ୍ଚ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟ ୧୫,୦୦୦), ଉତ୍ତରାଖଣ୍ଡ (କେବଳ ପାଠ୍ୟକ୍ରମ ସ୍ତର ୧ ଓ ୨ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ୩୭୫୦) ଏବଂ ଉତ୍ତରପ୍ରଦେଶ (ସମସ୍ତ ପାଞ୍ଚ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟ ୧୫,୦୦୦)କୁ ଚୟନ କରିଛନ୍ତି । ଉକ୍ତ ଯୋଜନା ଅଧୀନରେ ଯେପରି ସାମିଲ କରାଯାଇପାରିବ ସେହି ଅନୁସାରେ ପାଠ୍ୟକ୍ରମ ସମୂହର ପ୍ରସ୍ତାବ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଯୋଜନା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ବିଶେଷଜ୍ଞ କମିଟି ଏବେ ସୁଦ୍ଧା ୨୪ ଗୋଟି ପାଠ୍ୟକ୍ରମ ସୁପାରିଶ କରିଛନ୍ତି । କର୍ଣ୍ଣାଟକ ରାଜ୍ୟ ଦ୍ୱାରା ଗୋଟିଏ ପାଠ୍ୟକ୍ରମର ପ୍ରଚଳନ କାରାଗଲାଣି । ଏହିସବୁ ପାଠ୍ୟକ୍ରମକୁ ଯଥାଶୀଘ୍ର ପ୍ରଚଳନ କରିବା ପାଇଁ ଅନ୍ୟ ନିର୍ବାଚିତ ରାଜ୍ୟ ସମୂହ ଏବଂ ଏନ୍ଆଇଇଏଲ୍ଆଇଟି (NIELIT), ଇଏସ୍ଏସ୍‌ସି (ESSC) ତଥା ଟିଏସ୍ଏସ୍‌ସି (TSSC) ଏହି ତିନି ଗୋଟି ମୁଖ୍ୟ କାର୍ଯ୍ୟକାରୀ ସଂସ୍ଥା ସଂପୃକ୍ତ ରାଜ୍ୟମାନଙ୍କରେ ରାଜ୍ୟ ସ୍ତରୀୟ ତାଲିମଦାତା ସଂସ୍ଥା ଚିହ୍ନଟ କରିବା ପ୍ରକ୍ରିୟାରେ ଲାଗିଛନ୍ତି ।

ଆହୁରି ମଧ୍ୟ ଭାରତ ସରକାର ଏକ ‘ଡିଜିଟାଲ୍ ଇଣ୍ଡିଆ’ ଉଦ୍ୟମ ଘୋଷଣା କରିଛନ୍ତି । ସମଗ୍ର ଦେଶରେ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫେକ୍‌ଚରିଙ୍ଗ୍ (ESDM)କ୍ଷେତ୍ରର ଅଭିବୃଦ୍ଧି ଘଟାଇବା ନିମନ୍ତେ ଏକ ଅନୁକୂଳ ପରିମଳ ସୃଷ୍ଟି କରିବା କାର୍ଯ୍ୟକୁ ସୁଗମ କରିବା ପାଇଁ ପୂର୍ବ ଯୋଜାନାରେ ସାମିଲ ହୋଇନଥିବା ଦେଶର ଅବଶିଷ୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଚଂଳ ଗୁଡ଼ିକୁ ଉପରୋକ୍ତ ‘ଡିଜିଟାଲ୍ ଇଣ୍ଡିଆ’ ଯୋଜନା ପୃଷ୍ଠପୋଷକତାରେ ସାମିଲ କରିବା ଲାଗି ବିଭାଗ ଏହି ଜରୁରୀ ଯୋଜନାର ଅନୁମୋଦନ କରିଛନ୍ତି ।